ଭୁବନେଶ୍ଵର ମହାନଗରି ର ସବୁଠୁ ବଡ ଓ ମୁଖ୍ୟ ବରମୁଣ୍ଡା ବସଷ୍ଟାଣ୍ଡ ର ପରିବର୍ତିତ ରୂପ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ । ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛି ଭୁବନେଶ୍ୱ...
ଭୁବନେଶ୍ଵର ମହାନଗରି ର ସବୁଠୁ ବଡ ଓ ମୁଖ୍ୟ ବରମୁଣ୍ଡା ବସଷ୍ଟାଣ୍ଡ ର ପରିବର୍ତିତ ରୂପ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ । ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)। ବିଡିଏ, ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସଷ୍ଟାଣ୍ଡ ଭାବେ ନିର୍ମାଣ କରିବା ସହ ସମସ୍ତ ପ୍ରକାରର ଅନ୍ତର୍ଜାତୀୟମାନର ସୁବିଧା ସୁଯୋଗ ଦେବାକୁ ଯୋଜନା କରିଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡରେ କ’ଣ କ’ଣ ସୁବିଧା ସୁଯୋଗ ରହିବ ତାହା ବିଡିଏ ସ୍ପଷ୍ଟ କରି ଦେଇଥିବାବେଳେ କେଉଁ ସୁବିଧା କିପରି ମିଳିବ, କିପରି ଲୋକଙ୍କ ଦ୍ୱାରା ଆଦୃତ ହେବ ସେନେଇ ଡିଜାଇନ୍ ପ୍ରସ୍ତୁତ କରିବାକୁ ଆଜି ଆର୍ଏଫ୍ପି ଆହ୍ଵାନ କରିଛି। ଅଗଷ୍ଟ ୩୦ ତାରିଖ ଯାଏ ଆବେଦନ ଗ୍ରହଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ଅଗଷ୍ଟ ୯ରେ ଏକ ପ୍ରି-ବିଡ୍ ସମ୍ମିଳନୀ ବିଡିଏ ପକ୍ଷରୁ ଆୟୋଜନ କରାଯାଇଛି।
ବସଷ୍ଟାଣ୍ଡ ନିର୍ମାଣରେ ମୌଳିକ ସୁବିଧା
ଏହି ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍କୁ ସଂପୂର୍ଣ୍ଣ ଭାବେ ଭିନ୍ନକ୍ଷମ ଏବଂ ଶିଶୁଙ୍କ ଅନୁକୂଳ କରାଯିବ। ଭିନ୍ନକ୍ଷମାନଙ୍କୁ ସୁବିଧାରେ ଚଳପ୍ରଚଳ, ଯାତାୟତ ପାଇଁ ର୍ୟାମ୍ପ୍ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଏହି ପ୍ରକଳ୍ପ ଅନ୍ତର୍ଜାତୀୟ ତଥା ଦେଶରେ ରହିଥିବା ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ସର୍ତ୍ତ ରହିବ।
ବସ୍ଷ୍ଟାଣ୍ଡ୍ ନିର୍ମାଣରେ ଯାତ୍ରୀଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧା ସୁଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବସ୍ଷ୍ଟାଣ୍ଡ୍ ପରିସରରେ ପ୍ରତି କୋଣଅନୁକୋଣରେ ସିସିଟିଭି ଲାଗିବ। ଏହାକୁ ପରିଚାଳନା କରିବା ଲାଗି କଣ୍ଟ୍ରୋଲ ରୁମ୍ ରହିବ।
ସବିଶେଷ ସୂଚନା ଡିସପ୍ଲେ ବୋର୍ଡରେ ମିଳିବ
ଅନ୍ତଃରାଜ୍ୟ ବସଷ୍ଟାଣ୍ଡ୍ ନିର୍ମାଣ ପ୍ରକଳ୍ପରେ ଅପ୍ଟିକ୍ ଫାଇବର୍ ନେଟୱର୍କ, ୱାଇଫାଇ ସଂଯୋଗ, ରିଅଲ୍ ଟାଇମ୍ ପାର୍କିଂ ସୂଚନା, ଏବଂ ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଟ୍ରାନ୍ଜିଟ୍ ସୂଚନା ବ୍ୟବସ୍ଥା ରହିବ। ଏଠାରେ କେଉଁ ବସ୍ କେତେବେଳେ ଆସିବ ଓ ଛାଡ଼ିବ ତା’ର ସବିଶେଷ ସୂଚନା ଡିସପ୍ଲେ ବୋର୍ଡରେ ମିଳିବ। ରାଜ୍ୟ ବାହାରକୁ କିପରି ଅଧିକ ଗାଡ଼ି ଚଳାଚଳ କରିବ ଏବଂ ଯାତ୍ରୀ ଏହାର ସୁବିଧା ଉଠାଇବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ।
ଅନଲାଇନ୍ ବୁକିଂ ବ୍ୟବସ୍ଥା
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବରମୁଣ୍ଡାରେ ରାଜ୍ୟର ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ହେବ। ୧୫.୫ ଏକର ଜମିରେ ପରିବ୍ୟାପ୍ତ ଏହି ବସ୍ ଷ୍ଟାଣ୍ଡ୍ରେ ବହୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଯାତ୍ରୀଙ୍କ ସୁବିଧା ସୁଯୋଗ ପାଇଁ କେତେକ ସମନ୍ଵିତ ଯୋଜନା ସ୍ୱରୂପ ପ୍ରିପେଡ୍ ଅଟୋ ଓ ଟ୍ୟାକ୍ସିଂ ବୁକିଂ ଏବଂ ଡ୍ରପିଂ ବ୍ୟବସ୍ଥା ରହିବ। ଅନ୍ଲାଇନ୍ରେ ବସ୍ ଟିକେଟ ବୁକିଂଠାରୁ ଅଟୋ ବୁକିଂ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ। ଏହି ବସ୍ଷ୍ଟାଣ୍ଡ୍ରେ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ। ବହୁତଳ ବସ୍ ଓ କାର୍ ପାର୍କି ସୁବିଧା ରହିବ। ଯାତ୍ରୀଙ୍କ ପାଇଁ ଏସି ଏବଂ ସାଧାରଣ ପ୍ରତୀକ୍ଷାଳୟ ରହିବ। ଏହାବ୍ୟତୀତ ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ ହେବ।
ସାଧାରଣ ପରିବହନ ବ୍ୟବସ୍ଥାକୁ ଗୁରୁତ୍ୱ
ପବ୍ଲିକ୍ ଟ୍ରାନ୍ସପୋର୍ଟ, ସାଇକେଲ୍, ଅଟୋ ରିକ୍ସା, ଇ-ରିକ୍ସା ଭଳି ସମସ୍ତ ପ୍ରକାର ଯାନବାହନ ଏଠାରେ ଉପଲବ୍ଧ ହେବ। ଏହାଛଡ଼ା ସମନ୍ଵିତ ପରିବହନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ଯାତ୍ରୀମାନେ ସାଧାରଣ ପରିବହନ ବ୍ୟବସ୍ଥାକୁ କିପରି ଗୁରୁତ୍ୱ ଦେବେ ସେନେଇ ଏଠାରେ ଆକର୍ଷଣୀୟ ବ୍ୟବସ୍ଥା କରାଯିବ। ରେଳଯାତ୍ରା ସହ ବସ୍ ଯାତ୍ରା, ପିକ୍ ଅପ୍ ଆଣ୍ଡ୍ ଡ୍ରପ୍ ପ୍ରଭୃତି ସୁପରିକଳ୍ପିତ ସମନ୍ଵୟ ବ୍ୟବସ୍ଥା ରହିବ ଏହି ପ୍ରକଳ୍ପରେ।
ପଢନ୍ତୁ ଦୀପକ ମିଶ୍ର ଦେଶର ପ୍ରଧାନ ବିଚାରପତି ।
COMMENTS